ଆଲୋକିତ ଓଡ଼ିଶା ବ୍ୟୁରୋ :ମାଲକାନଗିରିରେ ଜଳ ପ୍ରଳୟ ହେତୁ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ରାସ୍ତା ଭାସି ଯାଇଛି। ବହୁ ସ୍ଥାନରେ ଏବେବି ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପ୍ରବଳ ବର୍ଷା ଯୋଗୁଁ ୬ଟି ଓଡ୍ରାଫ ଓ ୫ ଅଗ୍ନିଶମ ଟିମ୍ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ । ସେମାନେ ପ୍ରାୟ ୧୭ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଜିଲ୍ଲାର ଅନେକ ଅଞ୍ଚଳର ରାସ୍ତାଘାଟ ମଧ୍ୟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସମୀକ୍ଷା କରିବେ।
ଆଜି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ହେଲିକପ୍ଟର ଯୋଗେ ଜିଲ୍ଲାର ବନ୍ୟାଞ୍ଚଳ ବୁଲି ଦେଖିବେ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ମୁକାବିଲା ନେଇ ସମୀକ୍ଷା ବୈଠକରେ ଯୋଗଦେବେ । ଏହି ବୈଠକରେ ମାଲକାନଗିରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ କ୍ଷତିପୂରଣ ଦେବାକୁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି।