ଆଲୋକିତ ଓଡ଼ିଶା ବ୍ୟୁରୋ :ଦକ୍ଷିଣ ପୂର୍ବ ବାଂଲାଦେଶ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ। ଏହି ଅବପାତ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ମୁଖ୍ୟତଃ ବର୍ଷାର ପ୍ରଭାବ ଉତ୍ତର ଓଡ଼ିଶାରେ ଅଧିକ ରହିବାକୁ ଥିବା ବେଳେ ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷା ହେବ।
ଏହି ଲଘୁଚାପର ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା କରାଯାଇଛି। ସେହିପରି ଶନିବାର ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ସମୁଦ୍ର ମଧ୍ୟରେ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡକୁ ସତର୍କତା ଜାରି କରାଯାଇଛି। ଏହି ୩ଟି ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ପ୍ରବଳ ବର୍ଷା ନେଇ ଝାରସୁଗୁଡା, ସମ୍ବଲପୁର, ଦେବଗଡ, କୋରାପୁଟ, ନବରଙ୍ଗପୁର, ଯାଜପୁର, ବରଗଡ, ରାୟଗଡା, କଳାହାଣ୍ଡି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଲଘୁଚାପ ନେଇ ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି।