ଆଲୋକିତ ଓଡ଼ିଶା ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିସ୍ଚାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ରତନ ଟାଟାଙ୍କ ଦେହାନ୍ତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ବହୁ ବିଶିଷ୍ଟ ଶିଳ୍ପପତି ମାନେ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି ।
ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୨୧ ବର୍ଷ ବୟସରେ ୧୯୯୧ରେ ଅଟୋଠୁ ନେଇ ଇସ୍ପାତ ପର୍ଯ୍ୟନ୍ତ କାରବାର ସହ ଜଡ଼ିତ ଟାଟା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ଚେୟାରମ୍ୟାନ ହେବା ପରେ ସେ ଟାଟା ଗ୍ରୁପକୁ ଏକ ନୂତନ ଶିଖରରେ ପହଞ୍ଚାଇଥିଲେ ।
ତାଙ୍କ ଜେଜେ ବାପା ଅମଳରୁ ସ୍ଥାପିତ ଟାଟାକୁ ୨୦୧୨ ମସିହା ପର୍ଯ୍ୟନ୍ତ ନେତୃତ୍ଵ ନେଇଥିଲେ । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ରେ ଲେଖିଛନ୍ତି, “ଶ୍ରୀ ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ, ଦୟାଳୁ ଆତ୍ମା ଏବଂ ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ସେ ଭାରତର ଅନ୍ୟତମ ପୁରାତନ ତଥା ପ୍ରତିଷ୍ଠିତ ବ୍ୟବସାୟ ଗୃହକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ । ଏଥି ସହିତ, ତାଙ୍କର ଅବଦାନ ବୋର୍ଡରୁମଠାରୁ ବହୁ ଦୂରରେ ରହିଲା । ତାଙ୍କର ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ହେତୁ ସେ ନିଜକୁ ଅନେକ ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଥିଲେ”।