ଆଲୋକିତ ଓଡ଼ିଶା ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଂଚଳରେ ପୁଣି ଆଉ ଏକ ଜୀବନ ନେଲା ନରହନ୍ତା ଦନ୍ତା, ଶୋଇଥିବା ବେଳେ ଘରୁ ଘୋଷାଡ଼ି ଆଣି ମହିଳାଙ୍କୁ ଦଳିଦେଲା। ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ନରହନ୍ତା ଦନ୍ତା ପଶି ଘରେ ଶୋଇଥିବା ଜନୈକା ମହିଳାଙ୍କୁ ଘୋଷାଡ଼ି ଆଣି ଘର ବାହାରେ କଚାଡି ମାରିବା ଘଟଣାରେ ସକାଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲାl ମୃତା ମହିଳା ଜଣକ ହେଉଛନ୍ତି ରାଧିକାଶୋଳ ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା(୩୫) l ଗ୍ରାମବାସୀ ନିଜନିଜ ଘରେ ଶୋଇଥିବା ବେଳେ ବେତନଟୀ ରେଞ୍ଜ ଇଲାକାରେ ବିଚରଣ କରୁଥିବା ନରହନ୍ତା ଦନ୍ତା ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରିଥିଲା l ଗ୍ରାମର ତିନି ଚାରିଟି ଘର ଭାଙ୍ଗିବା ସହିତ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷାଡ଼ି ଆଣି ଘର ଅଗଣାରେ କଚାଡି ଦଳି ଦେଇଥିଲା l
ପାଖରେ ଶୋଇଥିବା ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ରାମରେ ଚହଳ ପଡିଯାଇଥିଲା l ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି l ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି l ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି l ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ଚାରିଜଣଙ୍କ ମୃତ୍ୟୁ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆସ୍ଥିତି ସୃଷ୍ଟି କରିଛି